ବଳି-ବାମନ ଉପାଖ୍ୟାନ
ମାସର ଶୁକ୍ଳ ପକ୍ଷ ଏକାଦଶୀ ହେଉଛି ବାମନାବତାରଙ୍କର ଆବିର୍ଭାବ ଦିବସ। ଏହିଦିନ ମଧ୍ୟାହ୍ନରେ ଅଦିତିଙ୍କ ଗର୍ଭରୁ ସେ ପ୍ରକଟ ହୋଇଥିଲେ। କଶ୍ୟପ ଥିଲେ ତାଙ୍କର ପିତା। ‘ବିଜୟା ଦ୍ୱାଦଶୀ’ ଭାବରେ ମଧ୍ୟ ଦିନଟି ଆଖ୍ୟାୟିତ। ‘ଶ୍ରୀମଦ୍ଭାଗବତ’ ଅନୁସାରେ, ଭଗବାନ ବିଷ୍ଣୁ ଏହି ବାମନାବତାରରେ ପ୍ରଥମେ ପ୍ରକଟ ହୋଇଥିଲେ ଚତୁର୍ଭୁଜ ରୂପରେ। କିନ୍ତୁ ସେ ଅଦ୍ଭୁତକର୍ମା ହୋଇଥିବାରୁ, ସେହି ଚତୁର୍ଭୁଜ ରୂପରୁ ବାମନରୂପୀ ବାଳବ୍ରହ୍ମଚାରୀରେ ପରିଣତ ହେଲେ। ତାଙ୍କର ସେହି ବଟୁବାମନ ରୂପ ଦେଖି ସମସ୍ତେ ଆନନ୍ଦିତ ହେଲେ। ସେହି ସମୟରେ ବହୁ ଅଶ୍ୱମେଧ ଯଜ୍ଞ କରି ଦାନବରାଜ ବଳି ନିଜର ଶକ୍ତି ବୃଦ୍ଧି କରିଥିଲେ। ତେଣୁ ବଟୁବାମନରୂପୀ ବିଷ୍ଣୁ, ନର୍ମଦା ନଦୀର ଉତ୍ତରତଟର ଭୃଗୁକଚ୍ଛଠାରେ ଥିବା ବଳିଙ୍କର ଯଜ୍ଞସ୍ଥଳକୁ ଯାତ୍ରା କଲେ। ତାଙ୍କର ହାତରେ ଥିଲା ଦଣ୍ଡ, ଛତ୍ର ଓ କମଣ୍ଡଳୁ। ଦାନବରାଜ ବଳି ଥିଲେ ଅତିଦାନୀ। ବାମନଙ୍କୁ ପ୍ରଣାମ କରି ସେ କହିଲେ- ହେ ବଟୁବାମନ! ତୁମର ଯାହା ଇଚ୍ଛା ମୋ’ଠାରୁ ମାଗି ନିଅ। କିନ୍ତୁ ବଟୁବାମନ ତାଙ୍କୁ ମାତ୍ର ତିନିପାଦ ଭୂମି ମାଗିଲେ। ତାହା ଶୁଣି ବଳି କହିଲେ- ହେ ବ୍ରାହ୍ମଣପୁତ୍ର! ତୁମେ ବୃଦ୍ଧଙ୍କ ପରି ବାକ୍ୟ କହୁଛ, କିନ୍ତୁ ତୁମର ବୁଦ୍ଧି ବାଳକୋଚିତ। ହେ ଅଳ୍ପବୁଦ୍ଧି ବାଳକ! ତୁମେ ନିଜର ସ୍ୱାର୍ଥ ବୁଝି ପାରୁନାହଁ। ମୁଁ ତ୍ରିଲୋକର ଏକମାତ୍ର ଅଧୀଶ୍ୱର। ମୁଁ ତୁମକୁ ଦ୍ୱୀପ ପରେ ଦ୍ୱୀପ ଦାନ କରିପାରେ। ଅଥଚ...