କରୋନା କାଳରେ ଜଳପ୍ରଳୟ: ଗୋଦାବରୀ ଫୁଲୁଛି, ମାଲକାନଗିରି ଭାସୁଛି, ବାଦକ ସାଜୁଛି ପୋଲାଭରମ୍
ମାଲକାନଗିରି : କରୋନା ମହାମାରୀ ନେଇ ସମଗ୍ର ଜିଲାବାସୀ ଚିନ୍ତିତ ଥିବାବେଳେ କିଛିଦିନର ଲଗାଣ ବର୍ଷାରେ ସୃଷ୍ଟି ହୋଇଥିବା ଜଳ ପ୍ରଳୟ ପରିସ୍ଥିତି ଜିଲାରେ ଆତଙ୍କ ଖେଳାଇ ଦେଇଛି । ଗୋଦାବରୀ ନଦୀ ଫୁଲୁଥିବାବେଳେ ମାଲକାନଗିରି ଭାସୁଛି । ଉକ୍ତ ନଦୀର ଫେରନ୍ତା ଜଳରେ ମାଲକାନଗିରି ଜିଲାର ଦୁଇ ନଦୀ ସିଲେରୁ ଓ ସାବେରୀ ବଢ଼ୁଥିବା ଯୋଗୁଁ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜିଲାରେ ଗତ ଏକ ସପ୍ତାହ ଧରି ଲଗାଣ ବର୍ଷା ଲାଗି ରହିଥିବା ବେଳେ ଆଜି ବର୍ଷାର ପ୍ରକୋପ ସାମାନ୍ୟ କମିଛି। ପରିସ୍ଥିତି ସ୍ୱାଭାବିକ ହୋଇଥିଲେ ସୁଦ୍ଧା ବର୍ଷା ପରେ ତଳି ଅଞ୍ଚଳର ପାଣି ମାଡି ଯାଇ ଜିଲାର ବହୁ ଅଞ୍ଚଳ ଜଳମଗ୍ନ ହୋଇଛି। ପୋଲାଭରମ ପ୍ରକଳ୍ପ ଯୋଗୁଁ ଗୋଦାବରୀର ବର୍ଷା ଜଳ ମଧ୍ୟରେ ଫସିଯାଇ ଏବେ ବି ବହୁ ଅଞ୍ଚଳ ଯଥା କାଲିମେଳା ବ୍ଲକର ବିନାୟକପୁର, ଆଲମା, ପେଟା, ମାଲାଭରମ୍, ମୋଟୁ ପ୍ରଭୃତି ପଞ୍ଚାୟତରେ ବନ୍ୟା ଜଳ ପ୍ରବେଶ କରିଛି। ଗୋଦାବରୀ ନଦୀ ଫୁଲିବା ଯୋଗୁଁ ମାଲକାନଗିରି ଜିଲା ପାଇଁ ବିପଦ ବଢିବାରେ ଲାଗିଛି। ଗତ କିଛିଦିନ ହେବ ବର୍ଷା ଯୋଗୁଁ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଗୋଦାବରୀ ନଦୀ ଜଳ। ଗୋଦାବରୀର ପିଛିଲା ପାଣି ବା ବ୍ୟାକ୍ କ୍ୱାଟର ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଜିଲାର ଉଭୟ ପାର୍ଶ୍ବରେ ପ୍ରବାହିତ ସିଲେରୁ, ସାବେରୀ ନଦୀ ମୋଟୁ ମୁଗି ପଏଣ୍ଟରେ ଏକାଠି ହୋଇ ଗ...