ଆହୁରି ଦେଢ଼ ଲକ୍ଷ ଫେରିବେ, ଆଗ୍ନେୟଗିରି ମୁହଁରେ ଗଞ୍ଜାମ ଜିଲ୍ଲା, ଦିନକରେ ୫୨ କରୋନା ଆକ୍ରାନ୍ତ ଚିହ୍ନଟ
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଳାରେ କରୋନା ମହାମାରୀ ରୂପ ନେବା ଭଳି ପରିସ୍ଥିତି ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଦ୍ରୁତଗତିରେ ପଜିଟିଭ୍ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ସକାଳୁ ସର୍ବାଧିକ ୫୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦିନ ଯେତେକି ଗଡ଼ୁଛି ବିପଦ ସେତିକି ଘନଉଛି। ପ୍ରବାସୀ ଓଡ଼ିଆଙ୍କ ଆଗମନ ସାଙ୍ଗକୁ କରୋନା ପଜିଟିଭ୍ ସଂଖ୍ୟା ବଢି ଚାଲିଛି। ମାତ୍ର ୧୨ ଦିନରେ କରୋନା ପଜିଟିଭ୍ ୨୦୦ ପାର୍ କରିଯାଇଛି। ଆଜି ସକାଳୁ ସଂଖ୍ୟା ୨୧୦ରେ ପହଞ୍ଚିଛି। ଉଦ୍ବେଗର ବିଷୟ ହେଲା, ଜିଲ୍ଳାର ଏକମାତ୍ର ଟାଟା କୋଭିଡ଼୍-୧୯ ହସ୍ପିଟାଲ ଶଯ୍ୟା ସଂଖ୍ୟା ଠାରୁ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିଯାଇଛି। ଟାଟା କୋଭିଡ୍ ହସ୍ପିଟାଲରେ ସମୁଦାୟ ୨୦୦ ଶଯ୍ୟା ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦ରେ ପହଞ୍ଚିଗଲାଣି। ପ୍ରଶାସନ ପକ୍ଷରୁ ତୁରନ୍ତ ଛତ୍ରପୁର, ବ୍ରହ୍ମପୁର, ହିଞ୍ଜିଳି ଓ ଭଞ୍ଜନଗରରେ ୪ଟି କୋଭିଡ୍ କେୟାର୍ ସେଣ୍ଟର୍ ପାଇଁ କୋଠା ଚିହ୍ନଟ ହୋଇ କାମ ହେଲେ ମଧ୍ୟ ଆଜି ସୁଦ୍ଧା କୋଭିଡ୍ କେୟାର୍ ସେଣ୍ଟର୍ ପ୍ରସ୍ତୁତ ହୋଇ ପାରିନାହିଁ କି ଡାକ୍ତର, କର୍ମଚାରୀ ନିଯୁକ୍ତ ହୋଇନାହାନ୍ତି। ଗଞ୍ଜାମ ଜିଲ୍ଲାକୁ ଏକ ପ୍ରକାର ଆଗ୍ନେୟଗିରି ମୁହଁରେ ଛାଡ଼ିଦେଲା ଭଳି ସ୍ଥିତି ଉପୁଜିଛି। ଏଣେ ପ୍ରବାସୀ ଓଡ଼ିଆଙ୍କ ଏଭିଳି ଆଗମନ ଜାରି ରହିଲେ, ମେ’ ଶେଷ ସୁଦ୍ଧା ଜିଲ୍ଳାକୁ ଆହୁରି ଦେଢ଼ ଲକ୍ଷ ଓଡ଼ିଆ ଶ୍ରମିକ ଫେରିବେ।...