ସହୀଦ ଲକ୍ଷ୍ମଣ ନାୟକ

    ସହକଦ ଲକ୍ଷ୍ମଣ ନାୟକ

ସହୀଦ ଲକ୍ଷ୍ମଣ ନାୟକ (୨୨ ନଭେମ୍ବର ୧୮୯୯ - ୨୯ ମାର୍ଚ୍ଚ ୧୯୪୩) ଓଡ଼ିଶାର ଜଣେ ଅଗ୍ରଣି ସ୍ୱାଧୀନତା ସଂଗ୍ରାମୀ । ଆଦିବାସୀ ପାଇଁ ସେ ମାଲକାନାଗିରିର ଗାନ୍ଧି ଭାବେ ପ୍ରସିଦ୍ଧ ଥିଲେ । ସହୀଦ ଲକ୍ଷ୍ମଣ ନାୟକ ୧୮୯୯ ମସିହା ନଭେମ୍ବର ୨୨ ତାରିଖରେ ଅବିଭକ୍ତ କୋରାପୁଟ ଜିଲ୍ଲାର ତେନ୍ତୁଲିଗୁମ୍ମା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।

ପିତା ପଦଲାମ ନାୟକ ଓ ମାତା ସମାରି ନାୟକ । ସହୀଦ ଲକ୍ଷ୍ମଣ ନାୟକ ଥିଲେ ଦ୍ୱିତୀୟ ସନ୍ତାନ, ବଡଭାଇ ସନିଆ ନାୟକ ଓ ସାନଭାଇ ଧନ ନାୟକ । ତାଙ୍କ ପିତା ପଦଲମ ନାୟକ ଜାତିରେ ବୀର ଭୁମିୟା ଓ ଚାଷ ଥିଲା ଜୀବିକା । ଗ୍ରାମବାସୀଙ୍କ ମନୋନୟନ ଅନୁଯାୟୀ ତାଙ୍କୁ କୋରାପୁଟ ରାଜା ତୃତୀୟ ବିକ୍ରମଦେବ (ରାଜଗାଦୀ ୧୮୮୯ରୁ ୧୯୨୦ ) ମୁସ୍ତାଦାର ବା ନାୟକ ପଦର ନିୟୁକ୍ତ କରିଥିଲେ । ଦାୟିତ୍ୱ ଥିଲା ତେନ୍ତୁଲିଗୁମା, ବେଜୁଣୀଗୁଡା, ଲେକିଗୁଡା, ଅଅଁଳାଗୁଡାର ଖଜଣା ଆଦାୟ ।

ସଂକ୍ଷିପ୍ତ ବ୍ୟକ୍ତିଗତ ଜୀବନ ନିକଟରେ କୌଣସି ବିଦ୍ୟାଳୟ ନ ଥିବାରୁ କୋଲାବ ନଦୀ କୁଳର ବାଲିପଠାକୁ ସିଲଟ ଭାବରେ ବ୍ୟବହାର କରି ପିତା ପଦଲମଙ୍କ ଠାରୁ ଅକ୍ଷର ଶିକ୍ଷା କରିଥିଲେ । ତେନ୍ତୁଲିଗୁମ୍ମାର ଲୋକମାନେ ଓଡ଼ିଆ, ପରଜା,ଗାଦବା ଭାଷା ମିଶାମିଶି ଦେଶୀୟ ଭାଷା କହୁଥିଲେ । ଲକ୍ଷ୍ମଣ ନାୟକ ଉଭୟ ଦେଶୀୟ ଓ ଓଡ଼ିଆ ଭାଷା କହିପାରୁଥିଲେ । ୧୯ ବର୍ଷ ବୟସରେ ସାନଗୁମ୍ମାର ଘାସି ଭୁମିୟାନଙ୍କ କନ୍ୟା ମଙ୍ଗୁଳିଙ୍କୁ ବିବାହ କରିଥିଲେ । ସେ ଆଦିବାସୀମାନଙ୍କ ମଧ୍ୟରେ ପ୍ରଚଳିତ ଗୁଣିଆ ଓ ତିଶାରି ବୃତ୍ତିରେ ପାରଙ୍ଗମ ଥିଲେ । ଗୁଣିଆ ବୃତ୍ତି ହେଉଚି ଆଦିବାସୀ ମାନଙ୍କ ମଧ୍ୟରେ ଡାକ୍ତରୀ ବିଦ୍ୟା । ଜଣେ ଗୁଣିଆକୁ ବଣଜଙ୍ଗଲରୁ ଔଷଧୀୟ ସାମଗ୍ରୀ ସଂଗ୍ରହ କରିବା ସହ ଝାଡଣ, ଫୁଙ୍କଣ ଆଦି କରିବାକୁ ପଡେ । ତିଶାରି ବୃତ୍ତି ହେଉଚି ଦେବାରଧନା ବା ପୂଜକର ଦାୟିତ୍ୱ ।

୧୯୩୦ ମସିହାରେ ପିତା ପଦଲାମ ବୟସାଧିକ୍ୟ କାରଣରୁ ଅବସର ନେବାପରେ ଲକ୍ଷ୍ମଣ ନାୟକଙ୍କୁ ମୁସ୍ତାଦାର୍ ଭାବରେ ନିୟୁକ୍ତି କରାଯାଇଥିଲା । ଏହାପରେ ସେ ଲକ୍ଷ୍ମଣ ଭୁମିୟାରୁ ଲକ୍ଷ୍ମଣ ନାୟକ ଭାବରେ ପରିଚିତ ହୋଇଥିଲେ ।

ସମୟ ସାମୟିକ ଆଦିବାସୀ ବିପ୍ଲବ:

୧୯୨୧ ମସିହାରେ ମହାତ୍ମାଗାନ୍ଧିଙ୍କ ଡାକରାରେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହୋଇଥିଲା ଓ ଏହାର ଦମନ ସ୍ୱରୂପ ବ୍ରିଟିଶ ସରକାର ନାନାଦି ଅତ୍ୟାଚାର ସହ ନୂତନ ଟିକସ ମାନ ଲାଗୁ କରିଥିଲେ । ଏହି ସମୟରେ ବିଭିନ୍ନ ସଶସ୍ତ୍ର ଆଦିବାସୀ ବିଦ୍ରୋହ ଦେଖାଯାଇଥିଲା । କୋରାପୁଟ ଜିଲ୍ଲାର ଗୁଣୁପୁର ,ରାୟଗଡାରେ “ଗୁମ୍ମା ଗରବା ମେଳି” ବା “ଗାଇବା ପିଲା ମେଳି” ସଂଘଟିତ ହେଇଥଲା । ପାରଳାଖେମୁଣ୍ଡି ଅଞ୍ଚଳର ମୁଠାଦାର ମାନେ ସରକାରଙ୍କ ବିରୁଦ୍ଧରେ ମେଳି କରିଥିଲେ । କୋରପୁଟକୁ ଲାଗି ମଧ୍ୟପ୍ରଦେଶ ( ବର୍ତମାନର ଛତିଶଗଡ଼)ରେ “ବସ୍ତର ମେଳି” ନାମରେ ବିପ୍ଲବ ହେଇଥିଲା । ଏହି ସମୟରେ ଆନ୍ଧ୍ରପ୍ରଦେଶରେ ଆଲୁରୀ ସୀତାରାମ ରାଜୁଙ୍କ ନେତୃତ୍ୱରେ ରମ୍ଫା ଫିତୁରୀ ବା ମେଳି ଅନ୍ୟତମ ମୁଖ୍ୟ ଘଟଣା । ଏହି ମେଳି ଆଦିବାସୀମାନଙ୍କ ମଧ୍ୟରେ ବହୁଳ ଭାବରେ ବନ୍ଧୁକର ବ୍ୟବହାର ପ୍ରସାର କରିଥିଲା । ଏହା ଲକ୍ଷ୍ମଣ ନାୟକଙ୍କ ସ୍ଥାନ ମାଲକାନିଗିରି ଓ ଆନ୍ଧ୍ରର ପର୍ବତ୍ୟାଞ୍ଚଳରେ ସଂଘଟିତ ହେଇଥିଲା । ଏହି ମେଳିରେ ଯୋଗଦାନ କରିଥିବା କକୁର୍କୋଣ୍ଡଆ ଗ୍ରାମର କୋୟା ୟୁବକ ଚନ୍ଦ୍ର କୁଟିୟାଙ୍କ ସଂସ୍ପର୍ଶରେ ଲକ୍ଷ୍ମଣ ଆସି ତାଙ୍କଠୁ ବନ୍ଧୁକ ଚାଳନା ଶିକ୍ଷା କରିବା ସହ ନିଜ ଅଞ୍ଚଳରେ ସଶସ୍ତ୍ର ବିପ୍ଲବ ନିମନ୍ତେ ପରିକଳ୍ପନା କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ପରାସ୍ତ ସୀତାରାମ ରାଜୁଙ୍କ ଆତ୍ମସମର୍ପଣ ସହ ଏହି ବିପ୍ଲବ ଓ ଯୋଜନାର ଅବସାନ ଘଟିଥିଲା ।

ସ୍ୱାଧିନତା ସଂଗ୍ରାମ:

୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ରୂପରେ ଆତ୍ମପ୍ରକାଶ କରିଥିଲା । ସାର ଜନ ଅଷ୍ଟିନ ହବାକ ହେଲେ ଓଡ଼ିଶାର ପ୍ରଥମ ଗଭର୍ଣ୍ଣର। ଏକଦା ତାଙ୍କ କୋରାପୁଟ ଗସ୍ତ ସମୟରେ ତାଙ୍କ ପ୍ରତିନିଧି ଭାବରେ ତତ୍କାଳିନ ଜୟପୁର ରାଜା ସମସ୍ତ ସୁଖସୁବିଧାର ଆୟୋଜନ କରିଥିଲେ । ମାତ୍ର ଏଥି ନିମନ୍ତେ ଆଦିବାସୀଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିଥିଲା । ସମସ୍ତ ପ୍ରକାରର ଉପଲବ୍ଧ ଉତ୍ତମ ଖାଦ୍ୟଦ୍ରବ୍ୟ ବିନାମୂଲ୍ୟରେ ସରକାରଙ୍କୁ ଦେବାସହ ସାହେବଙ୍କ ସେବାନିମନ୍ତେ ବେଠି ଖଟିବାକୁ ପଡ଼ିଥିଲା । ପ୍ରତିବାଦର ପରିଣାମ ଥିଲା ରାଜଦଣ୍ଡ । ସାହେବ ଓ ତାଙ୍କ ଅମଲାମାନଙ୍କର ଏ ଅତ୍ୟାଚରରେ ବିଚଳିତ ଲକ୍ଷ୍ମଣ ନାୟକ ନିଜ ଲୋକଙ୍କ ଦୂରବସ୍ଥା ବିଷୟରେ ତତ୍କାଲିନ ଘୁମର ଗ୍ରାମ ପଞ୍ଚାୟତର କଂଗ୍ରେସ ସଭାପତି ନିଳକଣ୍ଠ ପାତ୍ରଙ୍କୁ ଜଣାଇଥିଲେ ।

ନିଳକଣ୍ଠ ପାତ୍ର ଆଦିବାସୀମାନେ ହରାଇଥିବା ସମସ୍ତ ସମ୍ପତିର ତାଲିକା ପ୍ରସ୍ତୁତ କରି ଜୟପୁରର ରାଧାକୃଷ୍ଣ ବିଶ୍ୱାସରାୟଙ୍କ ନିକଟକୁ ଯାଇଥିଲେ ଓ ସେ ଏ ସମ୍ବାଦକୁ ଖବର କାଗଜରେ ପ୍ରକାଶ କରିବା ପରେ ତୀବ୍ର ପ୍ରତିକିୟା ପ୍ରକାଶ ପାଇଥିଲା । ପରିଣାମ ସ୍ୱରୂପ ଇଂରେଜ ସରକାର ଲୋକମାନଙ୍କ ଠାରୁ ନିଆଯାଇଥିବା ଜିନିଷର ମୂଲ୍ୟ ଫେରାଇଥିଲେ । ଏହି ଘଟଣା ଫଳରେ ଲକ୍ଷ୍ମଣ ନାୟକଙ୍କ ମନରେ ଅହିଂସା ଓ ତତ୍କାଲିନ କଂଗ୍ରେସ ଉପରେ ବିଶ୍ୱାସ ଜନ୍ମିଥିଲା । ୧୯୩୭-୩୮ରେ ରାଧାକୃଷ୍ଣ ବିଶ୍ୱାସରାୟ ଜୟପୁର ନିକଟସ୍ଥ ନୂଆପୁଟରେ ଖୋଲିଥିବା ତାଲିମ ଶିବିରରେ ଯୋଗଦାନ କରି ମହାତ୍ମାଗାନ୍ଧିଙ୍କ ଦର୍ଶିତ ଆଦର୍ଶ ନୀତି ଓ ଶୃଙ୍ଖଳିତ ଜୀବନଯାପନ ବିଷୟରେ ଶିକ୍ଷା ଲାଭ କରିଥିଲେ ।

ସଂଗ୍ରାମୀ ଜୀବନ:

ତାଲିମ ଶିବିରରୁ ଫେରି ଲକ୍ଷ୍ମଣ କୋରାପୁଟରେ ଖଦୀ ଓ ଅହିଂସାର ପ୍ରଚାର ଓ ପ୍ରସାରରେ ଯୋଗ ଦେଇଥିଲେ । ପଶୁବଳିକୁ ବିରୋଧ କରିବା ସହ ନିଜର ତିଶାରି ବୃତ୍ତିରେ ଆଉ ପଶୁବଳି ଦେଇନଥିଲେ । ଲକ୍ଷ୍ମଣ ଗାଁକୁ ଗାଁ ବୁଲି ଲୋକଙ୍କୁ ନିର୍ଭିକ ହେବା ସହ ସରକାରଙ୍କୁ ଟିକସ ନ ଦେବା ଅହିଂସା ମାର୍ଗରେ ପରିଚାଳିତ ହେବା ମଦ୍ୟ ତ୍ୟାଗ କରିବା ସହ ଏକ ଶୃଙ୍ଖଳିତ ଜୀବନ ଧାରଣ ନିମନ୍ତେ ବାର୍ତ୍ତା ପ୍ରଚାର କରୁଥିଲେ । ତାଙ୍କର ପ୍ରଧାନ ସହାୟକ ମଧ୍ୟରେ ବଲରାମ ସିଂ ପୁଜାରୀ, ମୋତିରାମ ସିଂ ପୁଜାରୀ , ବନସିଂ ପୁଜାରୀ, କୃଷ୍ଣଚନ୍ଦ୍ର ବିଶୋଇ ପ୍ରମୁଖ ଥିଲେ । କୃଷ୍ଣଚନ୍ଦ୍ର ସାକ୍ଷରତା ଅଭିଯାନରେ ସାହାଯ୍ୟ କରି କୋରାପୁଟର ଉଦୟଗିରିଠାରେ ଏକ ସ୍କୁଲ ଖୋଲିଥିଲେ । ଏକ ମୁସ୍ତାଦା ହୋଇ ମଧ୍ୟ ଲୋକଙ୍କୁ କର ନ ଦେବା ପାଇ କହିବାର ପରିଣାମ ସ୍ୱରୂପ ଲକ୍ଷ୍ମଣଙ୍କୁ ରାଜଦ୍ରୋହୀ ବା ଫିତୁରିଦାର୍ (ଅର୍ଥାତ ରାଜାଙ୍କୁ ବିରୁଦ୍ଧ କରୁଥିବା ମେଳିର ସର୍ଦ୍ଦାର ) ଘୋଷଣା କରି ତାଙ୍କ ଠାରୁ ସରକାରଙ୍କ ତରଫରୁ ଦିଆଯାଇଥିବା ପଦବୀ ଓ ଚାଷ ଜମି ଛଡାଇ ନିଆଯାଇଥିଲା ।

ଦ୍ବିତୀୟ ବିଶ୍ୱଯୁଦ୍ଧ ସମୟରେ ମହାତ୍ମାଗାନ୍ଧିଙ୍କ ଆହ୍ୱାନରେ ବ୍ୟକ୍ତିଗତ ସତ୍ୟାଗ୍ରହରେ ଅଂଶଗ୍ରହଣ କରି ଜେଲଦଣ୍ଡ ପାଇଥିଲେ । ୧୯୪୨ ମସିହା ଅଗଷ୍ଟ ୯ ବମ୍ବେ ଅଧିବେଶନରେ କଂଗ୍ରେସ ବ୍ରିଟିଶ ସରକାର ଭାରତ ଛାଡ ପ୍ରସ୍ତାବ ପାଶ କରିଥିଲା । ଏହା ପରେ ବ୍ରିଟିଶ ସରକାର କଂଗ୍ରେସକୁ ବେଆଇନ ଘୋଷଣା କରିଥିଲା । ଗୁପ୍ତରେ ଏହି ସମ୍ବାଦ ପାଇବା ପରେ ଲକ୍ଷ୍ମଣ ନାୟକ ବଲରାମ ପୁଜାରୀଙ୍କଦ୍ୱାରା ଜୟପୁରରୁ ଆସିଥିବା ନିର୍ଦ୍ଦେଶଗୁଡିକୁ ଆଦିବାସୀ ଭାଷାରେ ଅନୁବାଦ କରାଇ ( “କର ବା ମର”କୁ “ତୋର୍ ବୁତା ତୁଇ କର୍ , ନ ପାରିଲେ ମର୍”) ଗାଁ ଗାଁ ବୁଲି ଲୋକମାନଙ୍କୁ ସତ୍ୟାଗ୍ରହ ଓ ସ୍ୱାଧିନତା ନିମନ୍ତେ ଅହିଂସା ଲଢେଇର ବାର୍ତ୍ତା ପ୍ରଚାର କରିଥିଲେ ।

ମାଥିଲି ଥାନା ଗୁଳିକାଣ୍ଡ:

୧୯୪୨ ମସିହା ଅଗଷ୍ଟ ୨୧ ତାରିଖ ଶୁକ୍ରବାର ଦିନ ଲକ୍ଷ୍ମଣ ନାୟକଙ୍କ ନେତୃତ୍ୱରେ ସଂଗ୍ରାମୀମାନେ ମାତିଲି ଥାନା ଘେରାଉ କରିଥିଲେ । ଲକ୍ଷ୍ୟ ଅହିଂସାପୂର୍ଣ୍ଣ ଭାବରେଥାନା ଉପରେ ତ୍ରିରଙ୍ଗା ପତାକା ଉଡାଇବା । ଏହି ଆନ୍ଦୋଳନର ଦମନ ନିମନ୍ତେ ପୁଲିସ କର୍ମୀମାନଙ୍କ ଉପରେ ଲାଠିମାଡ ସହ ଲକ୍ଷ୍ମଣ ନାୟକଙ୍କୁ ଅଲଗା ସମସ୍ତଙ୍କର ଦେଖିଲା ପରି ସ୍ଥାନକୁ ନେଇ ନିସ୍ତୁକ ମାଡ ମାରିବା ସହ ତାଙ୍କର ବୀରକେଶ(ନିଶ)କୁ ଓପାଡି ସେଥିରେ ନିଆଁ ଲଗାଇ ଦେଇଥିଲେ । ବନ୍ଧୁକର ବୟୋନେଟ ମାଡରେ ବେହୋସ ହୋଇପଡ଼ିଥିଲେ ଲକ୍ଷ୍ମଣ ନାୟକ । ଲକ୍ଷ୍ମଣଙ୍କ ଉପରେ ଏତାଦୃଶ୍ୟ ଅତ୍ୟାଚାର ପରେ ମଧ୍ୟ କର୍ମୀ ମାନେ ଆଗକୁ ବଢିଚାଲିବାରୁ ସେମାନଙ୍କ ଉପରେ ପୁଲିସ ଗୁଳିଚାଳନା ଆରମ୍ଭ କରିଦେଇଥିଲା । ମୃତାହତମାନଙ୍କ ମଧ୍ୟରେ ଥିଲେ ଥାନା ଉପରେ ପତାକା ଧରି ଉଡେଇବାକୁ ଚଢ଼ିଥିବା ଟିମସଗୁଡାର ଲିଂଗ ଭୁମିଆ ଓ ସରଗିଗୁଡାର ନକୁଳ ମାଡକାମୀ । ଏ ଗୁଳିକାଣ୍ଡରେ ମାତାଲ ଅବସ୍ଥାରେ ଥିବା ଫରେଷ୍ଟଗାର୍ଡ ଜି.ରାମୟାର ମୃତ୍ୟୁ ହେଇଥିଲା । ଆନ୍ଦୋଳନକୁ ଦମନ କରିବା ପରେ ପୁଲିସ ଲକ୍ଷ୍ମଣ ନାୟକଙ୍କ ଅଚେତ ଶରୀରକୁ ମୃତ ମନେକରି ନିକଟସ୍ଥ ନାଳରେ ଫୋପାଡି ଦେଇଥିଲା । ଚେତା ଫେରିପାଇବା ପରେ ଲକ୍ଷ୍ମଣ ପରିସ୍ଥିତି ବୁଝିପରିଥିଲେ ଓ ଦୁର୍ଗମ ବଣରାସ୍ତା ମଧ୍ୟଦେଇ ଜୟପୁରରେ ପରବର୍ତ୍ତୀ ନିର୍ଦ୍ଦେଶ ପାଇଁ ପହଞ୍ଚିଥିଲେ । ତତପରଦିନ ଲକ୍ଷ୍ମଣ ନାୟକଙ୍କ ଶବ ଦେଖିବାକୁ ନପାଇ ପୁଲିସ ତାଙ୍କୁ ଫେରାର ଘୋଷିତ କରି ଫରେଷ୍ଟଗାର୍ଡ ଜି.ରମାୟାର ହତ୍ୟା ଅଭିଯୋଗରେ ବନ୍ଦୀ କରିବାକୁ ନିର୍ଦ୍ଦେଶନାମା ଜାରି କରିଥିଲା । ପୁଲିସର ଗିରଫ ପରୱାନ ପରେ ଲକ୍ଷ୍ମଣ ଆତ୍ମଗୋପନ କରିଥିଲେ ମଧ୍ୟ ଲୋକଙ୍କ ଉପରେ ଅତ୍ୟାଚାରର କାହାଣୀ ଶୁଣି ପୁଣି ନିଜ ଗ୍ରାମ ତେନ୍ତୁଲିଗୁମାକୁ ଫେରି ଆସିଥିଲେ ।

ଗିରଫ ଓ ବିଚାର:

୧୯୪୨ ମସିହା ସେପ୍ଟେମ୍ବର୨ ତାରିଖରେ ତେନ୍ତୁଲିଗୁମାରୁ ଲକ୍ଷ୍ମଣ ଓ ତାଙ୍କ ପୁତ୍ର ରଘୁନାଥ ,ସନଗୁମ୍ମାରୁ ବନସିଂ ପୁଜାରୀଙ୍କୁ ଗିରଫ କରାଯାଇଥିଲା। କୋରାପୁଟର ଅତିରିକ୍ତ ସେସନ୍ସ ଜଜ ଭି.ରାମନାଥଙ୍କ କୋର୍ଟରେ ବିଚାର କରାଯାଇ ଜି.ରାମୟାର ହତ୍ୟା ଅଭିଯୋଗରେ ଲକ୍ଷ୍ମଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ହୋଇଥିଲା ।

ଶେଷଜୀବନ:

ବିଚାର ପରେ ତାଙ୍କୁ କୋରାପୁଟ ଜେଲରୁ ବ୍ରହ୍ମପୁର ଜେଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଥିବା ଅନ୍ୟ ପ୍ରମୁଖ ସ୍ୱାଧିନତା ସଂଗ୍ରାମୀଙ୍କ ପ୍ରଚେଷ୍ଟାରେ ପାଟନା ହାଇକୋର୍ଟରେ ଅପିଲ କରାଯାଇଥିଲେ ମଧ୍ୟ ତାହା ଖାରଜ ହେଇଯାଇଥିଲା । ୧୯୪୩ ମସିହା ମାର୍ଚ୍ଚ ୨୯ ତାରିଖରେ ତାଙ୍କୁ ଫାଶୀ ଦିଆଯାଇଥିଲା ।

Comments

Popular posts from this blog

ଲୋକଡାଉନରେ ମାଲକାନଗିରି ଜିଲ୍ଲା

କୋଭିଡ-୧୯ ଓ ଲକଡାଉନକୁ ଦୃଷ୍ଟିରେ ରଖି ପରୀକ୍ଷା ଓ ଶିକ୍ଷାବର୍ଷ ପାଇଁ ୟୁଜିସି ପକ୍ଷରୁ ଗାଇଡଲାଇନ ଜାରି

ନିଖୋଜ ୧୭ ଯବାନଙ୍କ ଉଦ୍ଧାର ହେଲା ମୃତ ଦେହ; ଗତକାଲିଠାରୁ ନିଖୋଜ ଥିଲେ ୧୭ ଯବାନ