ବୁଲ୍‌ବୁଲ୍ ରାସ୍ତାରେ ଅମ୍ଫାନ, ଟିକିଏ ଉଗ୍ର : ସକାଳୁ ସକାଳୁ ବିତ୍ପାତ, ଉତ୍ତର ଓଡ଼ିଶାର ୬ ଜିଲ୍ଲାକୁ ଅଧିକ ବିପଦ

୧୦୦ କିଲୋମିଟରରୁ ଅଧିକ ପବନ
୨୦୦ ମିମିରୁ ଅଧିକ ବର୍ଷା ହୋଇପାରେ
୯ଟାରେ ପାରାଦୀପ, ୧୧.୩୦ରେ ଚାନ୍ଦବାଲି

ଭୁବନେଶ୍ବର : ଯେଉଁ ରାସ୍ତାେର ଗତବର୍ଷ ବୁଲ୍‌ବୁଲ୍‌ ଯାଇଥିଲା, ପାଖାପାଖି ସେହି ରାସ୍ତାରେ ତା’ଠାରୁ ଅଧିକ ଉଗ୍ର ରୂପ ଧରି ବାତ୍ୟା ଅମ୍ଫାନ୍ ଆସନ୍ତାକାଲି ଅପରାହ୍ନରେ ସ୍ଥଳଭାଗ ଛୁଇଁବ। ଓଡ଼ିଶା ସୀମା ଅତିକ୍ରମ କରିବା ବେଳେ ଗୋଟିଏ କି ଦୁଇଟି ନୁହେଁ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁର ଓ ମୟୂରଭଂଜରେ ବିତ୍ପାତ ରଚାଇପାରେ। ଘଣ୍ଟାକୁ ୧୦୦ ବା ୧୧୦ କିଲୋମିଟର ବେଗରେ ପବନ ବହିବ। 

ସ୍ଥଳବିଶେଷରେ ତୀବ୍ରତା ବଢ଼ି ୧୨୫ କିଲୋମିଟର ବେଗରେ ଗୁରାଣ୍ଡି ଦେଇପାରେ ଓଡ଼ିଶାର ଉତ୍ତର ଉପକୂଳ ସଂଲଗ୍ନ ଅଞ୍ଚଳକୁ। ଅପରାହ୍ନ ୪ଟା ବେଳକୁ ଏହା ଦୀଘା ଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଅର୍ଥାତ୍ ସୁନ୍ଦରବନ ନିକଟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ଅଧିକ। ସେତେବେଳେ ପବନର ବେଗ ୧୫୫ରୁ ୧୬୫ କିଲୋମିଟର ଥିବ ଓ ୧୮୫ କିଲୋମିଟର ବେଗରେ ଧକ୍କା ଦେବ।

ଓଡ଼ିଶାରେ ମଧ୍ୟାହ୍ନ ୧୨ଟାରୁ ୨ଟା ଯାଏ ବାତ୍ୟାର ସବୁଠାରୁ ଅଧିକ ପ୍ରଭାବ ଦେଖିବାକୁ ମିଳିପାରେ, ଯଦିଓ ରିପୋର୍ଟ ଲେଖା ହେବା ବେଳକୁ ବାତ୍ୟା ଅମ୍ଫାନ୍ ତାର ଉପସ୍ଥିତି ସଂପର୍କରେ ଏବେଠାରୁ ଆଭାସ ଦେଇସାରିଲାଣି। ଗଞ୍ଜାମ ଠାରୁ ଆରମ୍ଭ କରି ପୁରୀ, ଭଦ୍ରକ ଯାଏ ପବନର ଗତି ଧୀରେ ଧୀରେ ବଢିବା ଆରମ୍ଭ କରିଛି, ବର୍ଷା ବି। ଗୋପାଳପୁରରେ ଜୁଆର ଉଠିଲାଣି।

ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ଆସନ୍ତାକାଲି ସକାଳୁ ଉତ୍ତର ଉପକୂଳବର୍ତୀ ୬ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ପୁରୀ, ଖୋର୍ଧା, କଟକ, ଯାଜପୁରରେ ବର୍ଷା ସହିତ ପବନର ବେଗ ୫୫ରୁ ୬୫ କିଲୋମିଟର ରହିପାରେ। ହେଲେ ସ୍ଥଳବିଶେଷରେ ୭୫କିଲୋମିଟର ବେଗରେ ଧକ୍କା ଦେବ। ତେବେ ଉତ୍ତର ଓଡ଼ିଶା ସଂଲଗ୍ନ ଜିଲ୍ଲାରେ ପବନର ବେଗ ୧୨୦ କିଲୋମିଟର ପର୍ଯ୍ୟନ୍ତ ଛୁଇଁପାରେ।

ବାତ୍ୟାର ଉପସ୍ଥିତି ସଂପର୍କରେ ପାଣିପାଗ ବିଭାଗ କହିଛି, ଏହି ରିପୋର୍ଟ ଲେଖା ହେବା ବେଳକୁ ପାରାଦୀପ ଠାରୁ ୩୨୦ କିଲୋମିଟର ଦକ୍ଷିଣରେ ଥିଲା ଓ ଘଣ୍ଟାକୁ ୧୭ କିଲୋମିଟର ବେଗରେ ଆଗକୁ ବଢ଼ୁଥିଲା। ବାତ୍ୟାର କେନ୍ଦ୍ରସ୍ଥଳରେ ପବନର ବେଗ ୨୦୦ କିଲୋମିଟର ଥିଲା। ବାତ୍ୟା ଅସ୍ତରଙ୍ଗ ଠାରୁ ୧୨୫ କିଲୋମିଟର, ପାରାଦୀପ ଠାରୁ ୯୫, ଧାମରା ଠାରୁ ୮୧ ଓ ଦୀଘାଠାରୁ ୭୦ କିଲୋମିଟର ଦୂରରେ ସମୁଦ୍ରରେ ଗତି କରିବ।

ଅନ୍ୟପକ୍ଷରେ ପାଣିପାଗ ବିଜ୍ଞାନୀ ଡ. ସୁରେନ୍ଦ୍ର ନାଥ ପଶୁପାଳକଙ୍କ ପୂର୍ବାନୁମାନ କହୁଛି, ବାତ୍ୟା ଧୀରେ ଧୀରେ ଦୁର୍ବଳ ହେବା ଆରମ୍ଭ କରିଛି। ସନ୍ଧ୍ୟା ୭ଟା ବେଳକୁ ଏହା ପାରାଦୀପ ଠାରୁ ୩୨୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବରେ ଥିଲା। ସେଠାରେ ୧୮୦ କିଲୋମିଟର ବେଗରେ ପବନ ବହୁଥିଲା। ମଝିରେ ମଝିରେ ୨୦୫ କିଲୋମିଟରରେ ଏହା ପହଞ୍ଚୁଥିଲା। ୧୬ରୁ ୧୭ କିଲୋମିଟର ବେଗରେ ଏହା ଆଗକୁ ବଢୁଛି। ଅପରାହ୍ନ ୪ଟାରୁ ସାଢେ ଚାରିଟା ମଧ୍ୟରେ ଏହା ଦୀଘା ଅତିକ୍ରମ କରିବ, ସେତେବେଳକୁ ପବନର ବେଗ ୧୨୫ରୁ ୧୩୫ କିଲୋମିଟର ଘଣ୍ଟା ପ୍ରତି ରହିଥିବ।

ଆଜି ମଧ୍ୟରାତ୍ରିରେ ବିଶାଖାପାଟଣାରେ ବାତ୍ୟା ପହଞ୍ଚିବ, ଯେତେବେଳେ କି ପବନର ବେଗ ୧୮୦ କିଲୋମିଟର ରହିଥିବ। ପାରାଦୀପରେ ସକାଳ ୯ଟା (ବାତ୍ୟାର କେନ୍ଦ୍ରସ୍ଥଳରୀରେ ପବନର ବେଗ ଥିବ ୧୩୦ କିଲୋମିଟର) , ଚାନ୍ଦବାଲିରେ ସାଢେ ଏଗାରଟା ବେଳେ (ବାତ୍ୟାର କେନ୍ଦ୍ରସ୍ଥଳରୀରେ ପବନର ବେଗ ଥିବ ୧୪୦ କିଲୋମିଟର) ଏହା ଅତିକ୍ରମ କରିବ। ଜଗତସିଂହପୁର ଠାରୁ ଚାନ୍ଦବାଲି ପର୍ଯ୍ୟନ୍ତ ପବନର ବେଗ ୧୦୦ରୁ ୧୧୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ ବୋଲି ଡ. ପଶୁପାଳକ ପୂର୍ବାନୁମାନ କରିଛନ୍ତି। ସେହିଭଳି ଉପକୂଳରୁ ଓଡ଼ିଶା ଭିତରକୁ ୮୦ରୁ ୯୦ କିଲୋମିଟର ଯାଏ ପ୍ରଭାବ ପଡ଼ିବ।

ଆଜି ସକାଳୁ ବାତ୍ୟାର ଆଖି ହଜିଯାଇଛି। ଓଡ଼ିଶା ଛୁଇଁବା ପରେ ଏହାର ପ୍ରଥମ ବଳୟ ୨୦ରୁ ୨୫ କିଲୋମିଟର ଥିବ। ଦ୍ବିତୀୟ ବଳୟର ଆକାର ୭୦ରୁ ୯୦ କିଲୋମିଟର ରହିଥିବ ଓ ତୃତୀୟ ବଳୟର ଆକାର ୧୬୦ରୁ ୧୮୦ କିଲୋମିଟର ପର୍ଯ୍ୟନ୍ତ ରହିବ। ଏଣୁ ବାତ୍ୟାର ତୃତୀୟ ବଳୟ ଭିତରେ ହିଁ ଓଡ଼ିଶାର ଅଧିକାଂଶ ଅଞ୍ଚଳ ପଡ଼ୁଥିବା ପରିପ୍ରେକ୍ଷୀରେ ପବନର ବେଗ ୧୦୦ କିଲୋମିଟର ରହିବ ଓ ବେଳେବେଳେ ୧୧୦ ଛୁଇଁପାରେ।

ହେଲେ ଅସ୍ତରଙ୍ଗଠାରୁ ବାଲେଶ୍ବର ପର୍ଯ୍ୟନ୍ତ ଉପକୂଳରେ ପ୍ରବଳରୁ ଅତିପ୍ରବଳ, ଏପରିକି ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଖୋର୍ଧା, ମୟୂରଭଂଜ, ଯାଜପୁର ଆଦି ଅଞ୍ଚଳରେ ବର୍ଷାର ପରିମାଣ ୭୦ ମିଲିମିଟରରୁ ଅଧିକ ବର୍ଷା ହୋଇପାରେ।

ଉଲ୍ଲେଖଯୋଗ୍ୟ ଯେ ପାଖାପାଖି ୨୪ ଘଣ୍ଟା ଧରି ମହାବାତ୍ୟା ଅମ୍ପାନ୍ ସମୁଦ୍ରରେ ତାଣ୍ଡବ ରଚାଇବା ପରେ ଦୁର୍ବଳ ହୋଇ ଆଜି ପୂର୍ବାହ୍ନରେ ଅତି ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇଥିଲା। ଆସନ୍ତାକାଲି ସ୍ଥଳଭାଗ ଛୁଇଁବା ପରେ ଏହାଅତି ତୀବ୍ର ସାମୁଦ୍ରିକ ଝଡ଼ରେ ପରିଣତ ହୋଇ ଆଗକୁ ବଢ଼ିବ ଓ ୨୧ ତାରିଖରେ ଲଘୁଚାପରେ ପରିଣତ ହେବ।

Comments

Popular posts from this blog

ଲୋକଡାଉନରେ ମାଲକାନଗିରି ଜିଲ୍ଲା

କୋଭିଡ-୧୯ ଓ ଲକଡାଉନକୁ ଦୃଷ୍ଟିରେ ରଖି ପରୀକ୍ଷା ଓ ଶିକ୍ଷାବର୍ଷ ପାଇଁ ୟୁଜିସି ପକ୍ଷରୁ ଗାଇଡଲାଇନ ଜାରି

ନିଖୋଜ ୧୭ ଯବାନଙ୍କ ଉଦ୍ଧାର ହେଲା ମୃତ ଦେହ; ଗତକାଲିଠାରୁ ନିଖୋଜ ଥିଲେ ୧୭ ଯବାନ