ସରକାରଙ୍କ ବନ୍ୟା ସତର୍କତା, ବନ୍ୟା ସ୍ଥିତି ୧୦ ଜିଲ୍ଲାର ଜିଲ୍ଳାପାଳଙ୍କ ସହ ଆଲୋଚନା କଲେ ମୁଖ୍ୟ ଶାସନ ସଚିବ, ଏସଆରସି କହିଲେ, ବନ୍ୟା ନେଇ ଅଛୁ ସତର୍କ, ସେପଟେ ଜିଲ୍ଳାପାଳଙ୍କୁ ବନ୍ୟାଜନିତ କ୍ଷୟକ୍ଷତିର ରିପୋର୍ଟ ମାଗିଲେ ସରକାର
ବନ୍ୟା ସ୍ଥିତି ନେଇ ଭିଡିଓ କନଫରେନ୍ସ ମାଧ୍ୟମରେ ଜିଲ୍ଲାପାଳଙ୍କ ସହ ମୁଖ୍ୟ ଶାସନ ସଚିବ ଆଲୋଚନା କରିଛନ୍ତି । ୧୦ ଜିଲ୍ଲାର ଜିଲ୍ଳାପାଳ ବୈଠକରେ ଯୋଗଦେଇଥିଲେ । ମାଲକାନଗିର, ଯାଜପୁର, ଢେଙ୍କାନାଳ, ବୌଦ୍ଧ, ଦେବଗଡ, କେନ୍ଦ୍ରପଡା, ବରଗଡ, ସୁବର୍ଣ୍ଣପୁର, ଭଦ୍ରକ ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇଛି । ଏହି ସବୁ ଜିଲ୍ଳାରେ ଅଧିକ ଲଘୁଚାପ ବର୍ଷା ହୋଇଛି । ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି ।
ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବଢୁଛି । ଓଡିଶାର ଜୀବନ ରେଖା କୁହାଯାଉଥିବା ମହାନଦୀର ଜଳସ୍ତର ଉପରେ ରାଜ୍ୟ ସରକାର ନଜର ରଖିଛନ୍ତି । ଉପର ମୁଣ୍ଡରେ ବର୍ଷା ହେଉଥିବାରୁ ମହାନଦୀକୁ କେତେ ପାଣି ପ୍ରବେଶ କରୁଛି ତା ଉପରେ ନଜର ରଖାଯାଇଥିବା ଜଳ ସଂପଦ ବିଭାଗ ମୁଖ୍ୟ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି ।
ରାଜ୍ୟରେ ବଡ ଧରଣର ବନ୍ୟା ଆଶଙ୍କା ନଥିବା ସେ କହିଛନ୍ତି । ତେବେ ଏବେ ଉପର ମୁଣ୍ଡରେ ବର୍ଷା ହେଉଥିବାରୁ ମହାନଦୀରେ ୫୦ ପ୍ରତିଶତ ପାଣି ଅଛି, ହୀରାଦୁକର ୧୫ଟି ଗେଟ୍ ଖୋଲା ରହିଛି । ଏବେ ହୀରାକୁଦରେ ଜଳସ୍ତର ୬୧୫ ଦଶମିକ ୭୫ ଫୁଟ ରହିଛି । ସେକେଣ୍ଡରେ ପ୍ରତି ୩ଲକ୍ଷ ୨୭ ହଜାର ଘନଫୁଟ ଜଳ ଜଳଭଣ୍ଡାରକୁ ପ୍ରବେଶ କରୁଥିବା ବେଳେ ୨ଲକ୍ଷ ୪୩ ହଜାର ଘନଫୁଟ ଜଳ ନିଷ୍କାସିତ ହେଉଛି ।
ସେପଟେ ବନ୍ୟାଜନିତ କ୍ଷୟକ୍ଷତି ନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ମଗାଯାଇଥିବା କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି । ରିପୋର୍ଟ ଆସିଲା ପରେ ଜଣାପଡିବ କେଉଁଠି କେତେ କ୍ଷତି ହୋଇଛି । ଫସଲ ଜନିତ କ୍ଷୟକ୍ଷତି ରିପୋର୍ଟ ମଧ୍ୟ ମଗାଯାଇଛି । ରିପୋର୍ଟ ଆସିବା ପରେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ବନ୍ୟା ଯୋଗୁ ବିଶେଷ କ୍ଷୟକ୍ଷତି ହୋଇନାହିଁ ।
ଯେଉଁ ଅଞ୍ଚଳରେ ବନ୍ୟା ପାଣି ମାଡିଥିଲା ସେମାନଙ୍କୁ ସ୍ଥାନାନ୍ତରଣ କରାଯାଇଥିଲା । ଗୋଦାବରୀ ନଦୀରେ ବନ୍ୟା ଆଶଙ୍କା କରାଯାଉଛି । ସେଥିପାଇଁ ଆଲର୍ଟ ରହିବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ବନ୍ୟା ନେଇ କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ବାରମ୍ବାର ରାଜ୍ୟରେ ଳଘୁଚାପ ଫଳରେ କିଛି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଚାଷଜମି କ୍ଷତିଗ୍ରସ୍ଥ ହୋଇଥିବା ଖବର ଆସିଛି । ବନ୍ୟା ଯୋଗୁ ଚାଷ ଜମି କ୍ଷୟକ୍ଷତିର ରିପୋର୍ଟ କୃଷି ବିଭାଗ ତରଫରୁ ମଗାଯାଇଥିବା ମନ୍ତ୍ରୀ କହିଛନ୍ତି ।
Comments
Post a Comment