ଶିକ୍ଷାର ଆଲୋକ ପ୍ରତ୍ୟେକ ଘରକୁ ପହଞ୍ଚୁ
ଶିକ୍ଷାର ଆଲୋକ ପ୍ରତ୍ୟେକ ଘରକୁ ପହଞ୍ଚୁ
ନୂତନ ସପ୍ତାହର ଆରମ୍ଭ ସହିତ ଆମ ସମସ୍ତଙ୍କ ମନରେ ନୂଆ ଆଶା ଓ ନୂଆ ସଙ୍କଳ୍ପ ଜନ୍ମ ନେଇଥାଏ। ସମ୍ପାଦକୀୟର ବିଷୟ- ଶିକ୍ଷା। ଆଜିର ଦିନରେ ଶିକ୍ଷା କେବଳ ଚାକିରି ପାଇବାର ମାଧ୍ୟମ ନୁହେଁ, ଏହା ଜଣେ ମଣିଷକୁ ସଚେତନ ନାଗରିକ, ଦାୟିତ୍ୱବାନ ସମାଜସଦସ୍ୟ ଓ ଦେଶର ଉନ୍ନତିର ସହଭାଗୀ କରେ।
ଓଡ଼ିଶାର ଅନେକ ଦୁର୍ଗମ ଅଞ୍ଚଳରେ ଆଜି ମଧ୍ୟ ଭଲ ସ୍କୁଲ, ଶିକ୍ଷକଙ୍କ ଉପସ୍ଥିତି, ପାଠ୍ୟ ସାମଗ୍ରୀ ଓ ଡିଜିଟାଲ ସୁବିଧାର ଅଭାବ ଦେଖିବାକୁ ମିଳେ। ସହର ଓ ଗ୍ରାମ ମଧ୍ୟରେ ଶିକ୍ଷାର ମାନର ତଫାତ ଚିନ୍ତାଜନକ। ଯେଉଁ ଶିଶୁ ସକାଳେ ପୁସ୍ତକ ବଦଳରେ ପାଣି ଆଣିବାକୁ କିମ୍ବା ପରିବାରର କାମକୁ ଯାଉଛି, ସେ ଦେଶର ଭବିଷ୍ୟତରୁ ପଛୁଆ ପଡ଼ୁଛି। ଏହା କେବଳ ସେହି ପରିବାରର କ୍ଷତି ନୁହେଁ, ସମଗ୍ର ସମାଜର କ୍ଷତି।
ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ବିଦ୍ୟାଳୟ ଭବନ, ଛାତ୍ରବୃତ୍ତି, ମଧ୍ୟାହ୍ନ ଭୋଜନ ଓ ଉଚ୍ଚଶିକ୍ଷା ସୁଯୋଗ ବୃଦ୍ଧି କରୁଛନ୍ତି କିନ୍ତୁ କେବଳ ଯୋଜନା ଘୋଷଣା ହେଲେ ପରିବର୍ତ୍ତନ ଆସେ ନାହିଁ। ସଠିକ କାର୍ଯ୍ୟନ୍ୱୟନ, ନିୟମିତ ନିରୀକ୍ଷଣ ଓ ସ୍ଥାନୀୟ ଲୋକଙ୍କ ସହଭାଗୀତା ଅତ୍ୟାବଶ୍ୟକ। ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଶିକ୍ଷା ଉପରେ ମାସିକ ସମୀକ୍ଷା ହେବା ଦରକାର। ଅଭିଭାବକମାନେ ମଧ୍ୟ ସନ୍ତାନଙ୍କ ପଢ଼ାଶୁଣାରେ ସକ୍ରିୟ ଭୂମିକା ନେବା ଉଚିତ।
ଆଜିର ଯୁଗ ଡିଜିଟାଲ ମୋବାଇଲ ଓ ଇଣ୍ଟରନେଟ ଠିକ ଭାବେ ବ୍ୟବହାର କଲେ ଗ୍ରାମର ଛାତ୍ର ମଧ୍ୟ ବିଶ୍ୱସ୍ତରୀୟ ଜ୍ଞାନ ଅର୍ଜନ କରିପାରିବେ। ସେଥିପାଇଁ ଡିଜିଟାଲ ସାକ୍ଷରତାକୁ ପ୍ରାଥମିକତା ଦେବା ଆବଶ୍ୟକ। ପୁସ୍ତକାଳୟ, ପଢ଼ାଘର ଓ ଅନଲାଇନ ଶିକ୍ଷା କେନ୍ଦ୍ର ଗଠନରେ ସମାଜସେବୀ ସଂଗଠନ ଓ ଶିକ୍ଷିତ ଯୁବମାନେ ଆଗକୁ ଆସିବା ଦରକାର।
ଶିକ୍ଷା ସହିତ ମୂଲ୍ୟବୋଧର ଶିକ୍ଷା ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ। ସତ୍ୟନିଷ୍ଠା, ଶୃଙ୍ଖଳା, ପରିଶ୍ରମ, ସହାନୁଭୂତି ଓ ସାମାଜିକ ଦାୟିତ୍ୱ ଶିଶୁଦିନରୁ ଗଢ଼ିଉଠିଲେ ଆଗାମୀ ସମାଜ ଅଧିକ ସୁସ୍ଥ ଓ ସୁରକ୍ଷିତ ହେବ।
ଆମ ସମସ୍ତଙ୍କ ସଙ୍କଳ୍ପ ହେଉ- ଆମ ଅଞ୍ଚଳର କୌଣସି ଶିଶୁ ଶିକ୍ଷାରୁ ବଞ୍ଚିତ ହେବ ନାହିଁ। ଘରେ ଘରେ ପଢ଼ାର ଶିକ୍ଷାର ଉନ୍ନତି ପରିବେଶ ସୃଷ୍ଟି କରିବା, ବିଦ୍ୟାଳୟ ସହିତ ସମ୍ପର୍କ ବଢ଼ାଇବା ଓ ଶିକ୍ଷାକୁ ସମାଜର ସର୍ବୋଚ୍ଚ ପ୍ରାଥମିକତା ଦେବା ଆବଶ୍ୟକ। କାରଣ ଯେଉଁ ରାଜ୍ୟ ଶିକ୍ଷିତ, ସେହି ରାଜ୍ୟ ଶକ୍ତିଶାଳୀ, ଯେଉଁ ସମାଜ ସଚେତନ, ସେହି ସମାଜ ସମୃଦ୍ଧ।
©️ ସଦାଶିବ ନାୟକ
Comments
Post a Comment