ଗ୍ରାମ ଉନ୍ନୟନ: ଉନ୍ନତ ଓଡ଼ିଶାର ମୂଳ ଭିତ୍ତି
ଗ୍ରାମ ଉନ୍ନୟନ: ଉନ୍ନତ ଓଡ଼ିଶାର ମୂଳ ଭିତ୍ତି
ଓଡ଼ିଶାର ଜୀବନ ଜୀବିକା ଓ ପ୍ରାଣ ତାହାର ଗ୍ରାମରେ ବସେ। ଗ୍ରାମ ଶକ୍ତିଶାଳୀ ହେଲେ ରାଜ୍ୟ ଶକ୍ତିଶାଳୀ ହୁଏ। ତେଣୁ ଗ୍ରାମ ଉନ୍ନୟନ କେବଳ ଏକ ସରକାରୀ ଯୋଜନା ନୁହେଁ, ଏହା ସାମାଜିକ ପରିବର୍ତ୍ତନର ଏକ ଅଭିଯାନ। ଗ୍ରାମ ଉନ୍ନୟନର ବାସ୍ତବ ଚିତ୍ର ଓ ଆବଶ୍ୟକ ପଦକ୍ଷେପ ଉପରେ ଆଲୋଚନା।
ଆଜି ମଧ୍ୟ ଅନେକ ଗ୍ରାମରେ ପକ୍କା ରାସ୍ତା, ନିର୍ମଳ ପାଣି, ନିୟମିତ ବିଦ୍ୟୁତ, ଶିକ୍ଷା, ସ୍ୱାସ୍ଥ୍ୟ ସେବା ଓ ନିଷ୍କାସନ ବ୍ୟବସ୍ଥା ପର୍ଯ୍ୟାପ୍ତ ନୁହେଁ। ବର୍ଷା ଆସିଲେ ରାସ୍ତା କାଦୁଆ ହୋଇଯାଏ, ଗ୍ରୀଷ୍ମରେ ପାଣି ସମସ୍ୟା ଦେଖାଯାଏ, ଏବଂ ଛୋଟ ଅସୁସ୍ଥତା ପାଇଁ ମଧ୍ୟ ଲୋକଙ୍କୁ ଦୂର ସହରକୁ ଯିବାକୁ ପଡ଼େ। ଏହି ପରିସ୍ଥିତି ଗ୍ରାମୀଣ ଜୀବନକୁ କଷ୍ଟକର କରୁଛି ଏବଂ ଯୁବମାନଙ୍କୁ ସହରମୁଖୀ କରୁଛି।
ଗ୍ରାମ ଉନ୍ନୟନର ପ୍ରଥମ ପଦକ୍ଷେପ ହେଉଛି ମୌଳିକ ସୁବିଧା। ପ୍ରତ୍ୟେକ ଘରକୁ ପିଇବା ପାଣି, ପ୍ରତ୍ୟେକ ଗ୍ରାମକୁ ସବୁ ଋତୁରେ ଚଳାଚଳ ଯୋଗ୍ୟ ରାସ୍ତା ଓ ପ୍ରତ୍ୟେକ ପରିବାରକୁ ବିଦ୍ୟୁତ ସୁବିଧା ନିଶ୍ଚିତ ହେବା ଦରକାର। ଜଳ ଜୀବନ ମିଶନ, ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଓ ସ୍ୱଚ୍ଛ ଭାରତ ଭଳି ଯୋଜନାଗୁଡ଼ିକର ଫଳ ଗ୍ରାମର ଶେଷ ଲୋକ ପର୍ଯ୍ୟନ୍ତ ପହଞ୍ଚିବା ଉଚିତ।
କେବଳ ଭୌତିକ ଢାଞ୍ଚା ହେଲେ ଉନ୍ନୟନ ସମ୍ପୂର୍ଣ୍ଣ ହୁଏ ନାହିଁ। ରୋଜଗାର ସୃଷ୍ଟି ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ। କୃଷି ସହିତ ବିଭିନ୍ନ ଚାଷ, ମାଛ ଚାଷ, ଛେଳି, କୁକୁଡ଼ା ପାଳନ, ବନଜାତ ପଦାର୍ଥ ପ୍ରସ୍ତୁତିକରଣ ଓ ଗ୍ରାମୀଣ ଶିଳ୍ପକୁ ପ୍ରୋତ୍ସାହନ ଦେଲେ ଯୁବମାନଙ୍କ ପାଇଁ ଗ୍ରାମରେ ହିଁ ଆୟର ସୁଯୋଗ ବଢ଼ିବ। ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ବଜାର ସହିତ ସଂଯୋଗ କରାଇବା ଆବଶ୍ୟକ।
ଗ୍ରାମ ପଞ୍ଚାୟତ ହେଉଛି ଉନ୍ନୟନର କେନ୍ଦ୍ରବିନ୍ଦୁ। ଗ୍ରାମସଭାକୁ ସକ୍ରିୟ କରାଗଲେ ଲୋକେ ନିଜେ ଉନ୍ନୟନ କାର୍ଯ୍ୟର ନିରୀକ୍ଷଣ କରିପାରିବେ। କେଉଁ କାମ ଆବଶ୍ୟକ, କେତେ ଟଙ୍କା ଆସିଛି ଓ କେମିତି ଖର୍ଚ୍ଚ ହେଉଛି- ଏହି ସମସ୍ତ ତଥ୍ୟ ସାର୍ବଜନୀନ ହେବା ଆବଶ୍ୟକ। ସ୍ୱଚ୍ଛତା ଓ ଜବାବଦେହିତା ଥିଲେ ଦୁର୍ନୀତି କମିବ ଓ ଲୋକଙ୍କ ଆସ୍ଥା ବଢ଼ିବ।
ଆଜିର ଗ୍ରାମକୁ ଡିଜିଟାଲ ଗ୍ରାମରେ ପରିଣତ କରିବା ସମୟର ଆବଶ୍ୟକତା। ଇଣ୍ଟରନେଟ ସୁବିଧା, ଅନଲାଇନ ସରକାରୀ ସେବା, ଡିଜିଟାଲ ପେମେଣ୍ଟ ଓ ଅନଲାଇନ ଶିକ୍ଷା ଗ୍ରାମବାସୀଙ୍କୁ ନୂଆ ସୁଯୋଗ ଦେଇପାରିବ। ଯୁବମାନେ ଯଦି ପ୍ରଯୁକ୍ତି ସହିତ ଯୁକ୍ତ ହେବେ, ତେବେ ଗ୍ରାମରୁ ମଧ୍ୟ ଉଦ୍ୟମ ଓ ନବାଚାର ଆରମ୍ଭ ହୋଇପାରିବ।
ଓଡ଼ିଶାର ଗ୍ରାମାଞ୍ଚଳର ବିକାଶ ତଥା ସାମଗ୍ରିକ ଉନ୍ନତି ପାଇଁ ଶିକ୍ଷା ହେଉଛି ସବୁଠାରୁ ଶକ୍ତିଶାଳୀ ମାଧ୍ୟମ। ଗ୍ରାମାଞ୍ଚଳର ପ୍ରଗତି ବିନା ରାଜ୍ୟ କିମ୍ବା ଦେଶର ପ୍ରକୃତ ବିକାଶ ଅସମ୍ଭବ। ଓଡ଼ିଶାର ପ୍ରକୃତ ବିକାଶ କେବଳ ସହରର ଉନ୍ନତିରେ ସୀମିତ ନୁହେଁ। ଯେପର୍ଯ୍ୟନ୍ତ ଓଡ଼ିଶାର ପ୍ରତିଟି ଗ୍ରାମର ଶେଷ ଧାଡ଼ିର ଶିଶୁଟି ଗୁଣାତ୍ମକ ଶିକ୍ଷା ପାଇବ ନାହିଁ, ସେପର୍ଯ୍ୟନ୍ତ ଏକ ଉନ୍ନତ ଓଡ଼ିଶା ଗଠନର ସ୍ୱପ୍ନ ଅଧୁରା ରହିଯିବ।
ତେଣୁ, ଗ୍ରାମାଞ୍ଚଳରେ ଶିକ୍ଷାର ପ୍ରସାର ଏବଂ ଭିତ୍ତିଭୂମିର ବିକାଶ ହିଁ ଆମର ପ୍ରଥମ ଏବଂ ପ୍ରଧାନ ପଦକ୍ଷେପ ହେବା ଉଚିତ୍।
ପରିବେଶ ସୁରକ୍ଷାକୁ ଗ୍ରାମ ଉନ୍ନୟନ ସହିତ ଜଡ଼ିବା ଆବଶ୍ୟକ। ପୋଖରୀ ସଂରକ୍ଷଣ, ବୃକ୍ଷରୋପଣ, ବର୍ଷାଜଳ ସଂଗ୍ରହ ଓ ମାଟି ସୁରକ୍ଷା ଭବିଷ୍ୟତ ପିଢ଼ି ପାଇଁ ସମ୍ପଦ ସଂରକ୍ଷଣ କରିବ।
ଆସନ୍ତୁ, ଆମେ ଏକ ସଙ୍କଳ୍ପ ନେଇ- ଗ୍ରାମର ସମସ୍ୟା କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର। ସଚେତନ ନାଗରିକ, ସକ୍ରିୟ ପଞ୍ଚାୟତ ଓ ଜବାବଦେହୀ ପ୍ରଶାସନ ମିଶି କାମ କଲେ ମାତ୍ର ସତ୍ୟ ଗ୍ରାମ ଉନ୍ନୟନ ସମ୍ଭବ। ଉନ୍ନତ ଗ୍ରାମ ହିଁ ଉନ୍ନତ ଓଡ଼ିଶାର ମଜବୁତ ଭିତ୍ତି।
©️ ସଦାଶିବ ନାୟକ
Comments
Post a Comment