ମାଲକାନଗିରିର କଥା: ସମ୍ଭାବନାର ମାଟି, ଉନ୍ନତିର ପଥ
ମାଲକାନଗିରିର କଥା: ସମ୍ଭାବନାର ମାଟି, ଉନ୍ନତିର ପଥ
ଓଡ଼ିଶାର ଦକ୍ଷିଣ ସୀମାରେ ଅବସ୍ଥିତ ମାଲକାନଗିରିକୁ ଦୀର୍ଘଦିନ ଧରି ପଛୁଆ ଜିଲ୍ଲା ଭାବେ ଲୋକେ ବୁଝି ଆସୁଛନ୍ତି, କିନ୍ତୁ ଯେଉଁମାନେ ଏହି ମାଟିକୁ ନିକଟରୁ ଦେଖିଛନ୍ତି, ସେମାନେ ଜାଣନ୍ତି- ମାଲକାନଗିରି କେବଳ ସମସ୍ୟାର ନାମ ନୁହେଁ, ଏହା ଅସୀମ ସମ୍ଭାବନା, ପ୍ରାକୃତିକ ସମ୍ପଦ, ଆଦିବାସୀ ସଂସ୍କୃତି ଓ ସଂଘର୍ଷମୟ ଜୀବନର ଏକ ଅଦ୍ଭୁତ ଚିତ୍ର। ତେବେ ଏହି ମାଲକାନଗିରି ଜିଲ୍ଲାର ବାସ୍ତବତା ଓ ଭବିଷ୍ୟତ ଦିଗ ଉପରେ ଚର୍ଚ୍ଚା କରିବା-
ଗତ କିଛି ବର୍ଷରେ ଜିଲ୍ଲାରେ ରାସ୍ତା, ସେତୁ, ଗାଁକୁ ବିଦ୍ୟୁତ, ପାଣି ଓ ଯୋଗାଯୋଗ କ୍ଷେତ୍ରରେ କିଛି ସକାରାତ୍ମକ ପରିବର୍ତ୍ତନ ଦେଖାଯାଇଛି। ଅନେକ ଦୁର୍ଗମ ଅଞ୍ଚଳ ଏବେ ରାସ୍ତା ସହିତ ଯୋଡ଼ାଯାଉଛି। ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ମଧ୍ୟ ଧିରେ ଧିରେ ବିସ୍ତାର ପାଉଛି। ତଥାପି ଅନେକ ଗ୍ରାମରେ ଆଜି ମଧ୍ୟ ଗୁଣାତ୍ମକ ଶିକ୍ଷା, ବିଶେଷଜ୍ଞ ଚିକିତ୍ସା, ଚାକିରୀ ସୁଯୋଗ ଓ ଡିଜିଟାଲ ସୁବିଧା ପର୍ଯ୍ୟାପ୍ତ ନୁହେଁ। ସରକାର ଉନ୍ନତିର ଗତି ବଢ଼ାଇବା ଆବଶ୍ୟକ।
ମାଲକାନଗିରିର ସବୁଠାରୁ ବଡ଼ ସମ୍ପଦ ହେଉଛି ତାହାର ଲୋକ ଓ ପ୍ରକୃତି। ବନଜାତ ଉତ୍ପାଦ, କୃଷି ଓ କୁଟୀର ଶିଳ୍ପ ପ୍ରତିଷ୍ଠା ଭଳି ଛୋଟ ଉଦ୍ୟମ ମାଧ୍ୟମରେ ବିପୁଳ ଆର୍ଥିକ ସୁଯୋଗ ସୃଷ୍ଟି ହୋଇପାରେ, କିନ୍ତୁ ଉତ୍ପାଦନ ସହିତ ବଜାର ସଂଯୋଗ ନ ଥିବାରୁ କୃଷକ ଓ ଆଦିବାସୀ ପରିବାରମାନେ ଯଥାର୍ଥ ଲାଭ ପାଉନାହାନ୍ତି। ସଂଗ୍ରହ, ପ୍ରସ୍ତୁତିକରଣ ଓ ବଜାର ବ୍ୟବସ୍ଥାକୁ ଶକ୍ତିଶାଳୀ କରାଗଲେ ଗ୍ରାମୀଣ ଆୟ ଦୁଗୁଣ ହୋଇପାରେ।
ଯୁବମାନଙ୍କ ପାଇଁ ଦକ୍ଷତା ପ୍ରଶିକ୍ଷଣ ଅତ୍ୟାବଶ୍ୟକ। ପ୍ରତିବର୍ଷ ଅନେକ ଯୁବକ-ଯୁବତୀ ଉଚ୍ଚଶିକ୍ଷା ଓ ଚାକିରୀ ପାଇଁ ବାହାରକୁ ଯାଉଛନ୍ତି। ଜିଲ୍ଲାରେ ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ର, ଦକ୍ଷତା ବିକାଶ କେନ୍ଦ୍ର, ଡିଜିଟାଲ ପ୍ରଶିକ୍ଷଣ, କୃଷି ଉଦ୍ୟମ ଓ ସ୍ୱରୋଜଗାର ଯୋଜନା ବିସ୍ତାର କରାଗଲେ ଯୁବମାନେ ନିଜ ମାଟିରେ ରହି ଉନ୍ନତି କରିପାରିବେ।
ମାଲକାନଗିରି ଜିଲ୍ଲାର ଆଦିବାସୀ ସଂସ୍କୃତି ତାହାର ଗର୍ବ। ଢେମସା ନୃତ୍ୟ, ଲୋକଗୀତ, ପରମ୍ପରା ଓ ପ୍ରକୃତି ସହିତ ସହଅସ୍ତିତ୍ୱ ଆମକୁ ସ୍ଥାୟୀ ଜୀବନର ଶିକ୍ଷା ଦେଇଥାଏ। ଉନ୍ନତିର ନାମରେ ଏହି ସଂସ୍କୃତି ହାରାଇଯିବା ଉଚିତ ନୁହେଁ। ପର୍ଯ୍ୟଟନ, ସଂସ୍କୃତିକ ମହୋତ୍ସବ ଓ ସ୍ଥାନୀୟ କଳାର ପ୍ରଚାର ମାଧ୍ୟମରେ ଆର୍ଥିକ ଉନ୍ନତି ସହିତ ସାଂସ୍କୃତିକ ସୁରକ୍ଷା ମଧ୍ୟ ସମ୍ଭବ।
ଉନ୍ନତିର ସଫଳତା ସେତେବେଳେ ମାପାଯିବ ଯେତେବେଳେ ଶେଷ ଗ୍ରାମର ଲୋକ ନିଜକୁ ସୁରକ୍ଷିତ, ସମ୍ମାନିତ ଓ ସୁଯୋଗସମ୍ପନ୍ନ ଭାବିବେ। ପ୍ରଶାସନ, ଜନପ୍ରତିନିଧି, ଶିକ୍ଷିତ ଯୁବ ଓ ସାଧାରଣ ନାଗରିକ ସମସ୍ତଙ୍କୁ ମିଶି କାମ କରିବାକୁ ହେବ। ସମସ୍ୟା ଚିହ୍ନଟ କରିବା ସହିତ ସମାଧାନରେ ମଧ୍ୟ ସକ୍ରିୟ ଭାଗୀଦାର ହେବା ଆବଶ୍ୟକ।
ଆଜିର ଆମ ସଙ୍କଳ୍ପ ହେଉ- ମାଲକାନଗିରିକୁ ପଛୁଆ ଜିଲ୍ଲା ଭାବେ ନୁହେଁ, ସମ୍ଭାବନାର ଜିଲ୍ଲା ଭାବେ ଗଢ଼ିବା। ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର, ସଂସ୍କୃତି ଓ ପରିବେଶ- ଏହି ପାଞ୍ଚ ଭିତ୍ତିକୁ ଶକ୍ତିଶାଳୀ କରିପାରିଲେ ମାଲକାନଗିରି ଓଡ଼ିଶାର ଉନ୍ନତି ମାନଚିତ୍ରରେ ଏକ ଉଜ୍ଜ୍ୱଳ ଉଦାହରଣ ହୋଇଉଠିବ।
©️ ସଦାଶିବ ନାୟକ
Comments
Post a Comment